ନୁର ଇନାୟତ ଖାନ
ନୁର ଇନାୟତ ଖାନ | |
---|---|
Nickname(s) | 'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର' |
ଜନ୍ମ | ସେଣ୍ଟ ପିଟର୍ସବର୍ଗ, ଋଷିଆ | ୨ ଜାନୁଆରୀ ୧୯୧୪
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୪୪ Dachau concentration camp, Germany | (ବୟସ ୩୦)
ନିଯୁକ୍ତିଦାତା | ଯୁକ୍ତରାଜ୍ୟ |
ସେବା/ | Women's Auxiliary Air Force |
କାର୍ଯ୍ୟକାଳ | ୧୯୪୦-୧୯୪୪ |
ପଦବୀ | Assistant Section Officer |
ସେନା ବିଭାଗ | Special Operations Executive Cinema |
ସଂଘର୍ଷ/ଯୁଦ୍ଧ | ଦ୍ୱିତୀୟ ବିଶ୍ୱଯୁଦ୍ଧ |
ପୁରସ୍କାର | George Cross Mentioned in Despatches Croix de Guerre (France) |
ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା[୧] । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକର ଓ ମାଡେଲିନ ନାମରେ ଜଣାଯାଉଥିଲେ[୧] ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ହଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ[୨] ଅଣନାତି ଥିଲେ। ସେ ଜଣେ ସୁଫି ଧାର୍ମିକ ଗୁରୁ ଓ ସଂଗୀତଜ୍ଞ ଥିଲେ । ନୁରଙ୍କ ମାଆ ଥିଲେ ଅମୀନା ବେଗମ୍ ଓରଫ ଓର ରେ' ବେକର । ଋଷ୍ ବିପ୍ଳବ ଯୋଗୁଁ ହଜରତ ଓ ଅମୀନା ଚାରି ମାସର ନୁରଙ୍କୁ ଧରି ପରିବାର ସହ ଋଷରୁ ଚାଲିଅସି ଲଣ୍ଡନରେ ବାସ କଲେ । ପୁଣି ପ୍ରଥମ ବିଶ୍ୱଯୁଦ୍ଧ ପରେ ସେମାନେ ଫ୍ରାନ୍ସ ପଳେଇଗଲେ ଓପ୍ୟାରିସରେ ବସବାସ କରିଲେ । ଫଳରେ ତାଙ୍କ ପିଲାମାନେ ଫ୍ରାନ୍ସକୁ ହିଁ ନିଜ ମାତୃଭୂମି ମଣିଲେ ।
ନୂରଙ୍କ ଲେଖିକା ଜୀବନ
ସଙ୍ଗୀତଜ୍ଞଙ୍କ କନ୍ୟା ହୋଇଥିବାରୁ ସେ ପିଆନୋ, ହାର୍ପ ଓ ବୀଣା ବାଦନରେ ପାରଦର୍ଶୀ ଥିଲେ । ତାଙ୍କ ପିତା ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ତାଙ୍କରି ଆଦର୍ଶରେ ପ୍ରଭାବିତ ନୂର୍ ପରବର୍ତ୍ତୀ ସମୟରେ ଇସଲାମ୍, ଖ୍ରୀଷ୍ଟ, ହିନ୍ଦୁ, ବୌଦ୍ଧ ଧର୍ମ ସଂପର୍କରେ ବ୍ୟାପକ ଅଧ୍ୟୟନ କଲେ । ୧୯୨୭ରେ ପିତୃ ବିୟୋଗ ହେତୁ ୩ ଅନ ଭାଇଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । ରୋଜଗାର ଲାଗି ସେ ଇଂରାଜୀ ଓ ଫରାସୀ ଭାଷାରେ ପିଲାଙ୍କ ପାଇଁ ପୁସ୍ତକ ରଚନା କଲେ । ତନ୍ମଧ୍ୟରେ ଅଛି ୨୦ଟି ଜାତକ କାହଣୀ ଓ ଗ୍ରୀକ୍ କିମ୍ବଦନ୍ତୀର ପୁନଃଲିଖନ ।
ସେନା ଓ ଗୁପ୍ତଚର ସେବାରେ ଯୋଗଦାନ
ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଦ୍ୟକାଳରେ ଜର୍ମାନ ସେନା ଫ୍ରାନ୍ସରେ ପହଞ୍ଚିବାରୁ ନୂରଙ୍କ ପରିବାର ୧୯୪୦ରେ ଇଂଲଣ୍ଡର ଟୁଆର ଚାଲିଗଲେ । ସେହିବର୍ଷ ନଭେମ୍ବରରେ ସେ ସ୍ୱେଚ୍ଛାରେ ଇଂଲଣ୍ଡର ୱିମ୍ୱନସ୍ ଅକ୍ଜିଲିଆରି ଏୟାର ଫୋର୍ସ (WAAF, 1939–48)ରେ ଯୋଗ ଦେଲେ । ସେଠରେ ସେ ୱେୟାରଲେସ୍ ଅପରେଟର୍ ତାଲିମ୍ ନେଲେ । ୧୯୪୦ରେ ବ୍ରିଟିସ୍ ଗୁପ୍ତଚର ସେବା 'ସ୍ପେସିଆଲ ଅପରେସନ୍ ଏକ୍ଜିକ୍ୟୁଟିଭ୍' (SOE) ଗଠନ ହେଲା ଯାହାର କାର୍ଯ୍ୟ ଥିଲା ନାଜୀ ଅଧିକୃତ ଦେଶରେ ଗୁପ୍ତଚରଗିରି କରିବା ଓ ସେଠାର ସ୍ଥାନୀୟ ସ୍ୱାଧିନତା ଆନ୍ଦୋଳଙ୍କାରୀଙ୍କୁ ସହାୟତା ଯୋଗାଇବା । ମହିଳା ଗୁପ୍ତଚର ନିଯୁକ୍ତି ପାଇଁ ୧୯୪୨ରେ ଯୁଦ୍ଧ କ୍ୟାବିନେଟ୍ SOEକୁ ଅନୁମତି ଦେଲେ । ଫ୍ରାନ୍ସ ନିମନ୍ତେ ଉଦ୍ଦିଷ୍ଟ 'ଏଫ୍ ସେକ୍ସନ୍'ରେ ପଦବୀ ପାଇଁ ନୂର୍ ଆବେଦନ କଲେ । ପ୍ରାଞ୍ଜଳ ଫରାସୀ କହିବା ଓ ସିଗନାଲ ବିଦ୍ୟାରେ ଦକ୍ଷତା ଯୋଗୁଁ ସେ ଯୋଗ୍ୟ ବିବେଚିତ ହେଲେ । ନିଜ ମାତୃଭୂମିର ଦୁର୍ଦ୍ଦଶା ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଉଥିଲା ।
ଗୁପ୍ତଚର ବୃତ୍ତି ଓ ଶେଷ ଜୀବନ
ନୂର୍ ଯୁଦ୍ଧ, ସାଙ୍କେତିକ ଭାଷା, ଅସ୍ତ୍ରଚାଳନା ଆଦି କୌଶଳ ଯଦିଓ ଶିଖିଲେ ମାତ୍ର ନିଜର ଭଦ୍ର ଓ ନମ୍ର ସ୍ୱଭାବ ତଥା ଖେଳକସରତରେ ଅପାରଦର୍ଶିତା ଯୋଗୁଁ ଗୁପ୍ତଚରଗିରି ପାଇଁ ଅନୁପଯୁକ୍ତ ହେଲେ । ତେବେ ୱେୟାରଲେସ୍ ଚଳାଇବାରେ ତାଙ୍କର ଅତୁଳନୀୟ ଦକ୍ଷତା ଏବଂ ତତ୍କାଳୀନ ଫ୍ରାନ୍ସରେ ୱେୟାରଲେସ୍ ଅପରେଟରଙ୍କ ସଂଖ୍ୟା ନଗଣ୍ୟ ଥିବାରୁ ତାଙ୍କୁ ଚୟଣ କରାଗଲା । ୧୯୪୩ ମସିହା ଜୁନ୍ ୧୬ ତାରିଖରେ ସେ ପ୍ରଥମ ମହିଳା ୱେୟାରଲେସ୍ ଅପରେଟର ଭାବେ ବ୍ରିଟେନ ତାଙ୍କୁ ଜର୍ମାନ ଅଧିକୃତ ଫ୍ରାନ୍ସକୁ ପଠାଇଲା । ଆଉ ତିନିଜଣ ଗୁପ୍ତଚରଙ୍କ ସହ ନୂର୍ ଫ୍ରାନ୍ସର ଉତ୍ତରପଶ୍ଚିମ ପ୍ରାନ୍ତ ଅନ୍ତର୍ଗତ ଗୋଟିଏ ବଡ଼ ପଡ଼ିଆରେ ପହଞ୍ଚିଲେ । ସେଠାରେ ସେ ନାଜି ସେନାର ଦବଲ୍ ଏଜେଣ୍ଟ ବୋଲି କୁହାଯାଉଥିବା ହେନେରି ଡେରିକୋର୍ଟଙ୍କୁ ଭେଟିଲେ । ହେନେରି ସାଇକେଲ ଯୋଗାଇଦେବାରୁ ନୂର ସାଇକେଲରେ ଆଙ୍ଗର ଯାଇ ସେଠୁ ପ୍ୟାରିସକୁ ଟ୍ରେନ ଯାତ୍ରା କଲେ । ପ୍ୟାରିସରେ ସେ 'ପ୍ରସ୍ପର' ନେଟୱାର୍କରେ ଯୋଗ ଦେଲେ । ମାତ୍ର ଦୁର୍ଭାଗ୍ୟବଶତଃ ଜର୍ମାନ୍ ୧୦ ଦିନ ଭିତରେ 'ପ୍ରସ୍ପର' ନେଟୱାର୍କ ଆକ୍ରମଣ କରି ୩ ପ୍ରମୁଖ ନେତାଙ୍କୁ ଗିରଫ କରି ଭୀଷଣ ନିର୍ଯ୍ୟାତନା ଦେଲେ । ସେଇମାନଙ୍କ ସୂଚନା ଆଧାରରେ ତାଙ୍କର ବହୁ ସହଯୋଗୀ ଗିରଫ ହେଲେ । କେବଳ ବଞ୍ଚି ଯାଇଥିଲେ ନୂର୍ ।
ଇତି ମଧ୍ୟରେ ୪ ମାସ ଯାଏଁ ଜର୍ମାନ ସେନା ନୂରଙ୍କ ସଂପର୍କରେ କିଛି ବି ଜାଣି ପାରିଲା ନାହିଁ । ସେଇ ସମୟ ଭିତରେ ନୂର୍ ମଧ୍ୟ ବହୁ ତଥ୍ୟ ଯୋଗାଇ ଦେଲେ । ବାରମ୍ବାର ଜର୍ମାନ ପୋଲିସ ହାତରୁ ଖସି ଯାଇ ଶେଷରେ ୧୯୪୩ ଅକ୍ତୋବର ୧୩ ତାରିଖରେ ଗିରଫ ହେଲେ । ନଭେମ୍ବର ଯାଏଁ ପ୍ୟାରିସର ୮୪ ଆଭେନ୍ୟୁ ଫସ୍ ଠାରେ ତାଙ୍କୁ ରଖି ନାଜି ଗୁଇନ୍ଦା ଓ ପୁଲିସ ଗେଷ୍ଟାପୋ ତାଙ୍କୁ ଜେରା କଲେ । କିନ୍ତୁ କିଛି ସୂଚନା ପାଇଲେ ନାହିଁ । ନଭେମ୍ବର ୨୫ରେ ନୂର୍ ଏସ୍ ଓ ଇ ସ ହକର୍ମୀ ଜନ୍ ରେନସ ଷ୍ଟାର୍ ଓ ଫରାସୀ ସ୍ୱାଧିନତା ସଂଗ୍ରାମୀ ଲିଓନ ଫେୟଙ୍କ ସହିତ ଖସି ପଳାଇଲେ । ମାତ୍ର ଧରାପଡ଼ିବାରୁ ତାଙ୍କୁ ଫର୍ଜହାଇମ୍ ଜେଲରେ ରଖାଗଲା । ତାଙ୍କ ହାତଗୋଡ଼ରେ ବେଡ଼ି ପକାଯାଇ ଜେଲର ନିଭୃତ କୋଠରୀରେ ଦୀର୍ଘ ୧୦ ମାସ ଧରି ଅକଥନୀୟ ନିର୍ଯ୍ୟାତନା ଦିଆଗଲା । ଶେଷରେ ୧୯୪୪ ମସିହା ସେପ୍ଟେମ୍ବର ୧୨ ତାରିଖରେ ତାଙ୍କୁ ଡାକାଉ କନସେଣ୍ଟ୍ରେସନ୍ କ୍ୟାମ୍ପକୁ ନିଆଗଲା । ତା' ପରଦିନ ସକାଳୁ ଆଉ ୩ ଜଣ ମହିଳା ଗୁପ୍ତଚରଙ୍କ ସହ ତାଙ୍କୁ ଗୁଳିମାରି ହତ୍ୟା କରାଗଲା । କୁହାଯାଏ ମୃତ୍ୟୁ ସମୟରେ ତାଙ୍କ ମୁଖନିଃସୃତ ଶେଷ ଶବ୍ଦଟି ଥିଲା 'ସ୍ୱାଧିନତା ବା ମୁକ୍ତି' ।
ତାଙ୍କ ସଂପର୍କରେ କିଛି ବିଶେଷ କାର୍ଯ୍ୟକ୍ରମ
ପ୍ୟାରିସରେ ନୂରଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ବାଷ୍ଟାଇଲ ଦିବସରେ ତାଙ୍କ ବାଲ୍ୟକାଳର ବାସଭବନ ସମ୍ମୁଖରେ ବୀରବାଦ୍ୟ ବାଦନ କରାଯାଏ । ତାଙ୍କ ନାମାନୁସାରେ ସ୍ୟୁହେନାରେ ଗୋଟିଏ ବିଦ୍ୟାଳୟର ନାମକରଣ କରାଯାଇଛି । ୨୦୧୨ରେ ଲଣ୍ଡନର ବ୍ଲୁମସବରିସ୍ଥିତ ଗାର୍ଡେନ ସ୍କୋୟାର ଗାର୍ଡେନରେ ପ୍ରିନସେସ୍ ରୟାଲ୍ ଆନି ନୂରଙ୍କ ଏକ ଆବକ୍ଷ ପ୍ରତିକୃତି ଉନ୍ମୋଚନ କରିଥିଲେ । ୨୦୧୮ରେ ୫୦ ପାଉଣ୍ଡ ବିଶିଷ୍ଟ ବ୍ରିଟିସ୍ ନୋଟରେ ତାଙ୍କ ଫଟୋ ଛପାଯାଇଥିଲା । ତାଙ୍କ ଅପ୍ରକାଶିତ ଲେଖାଗୁଡ଼ିକ 'ଡ୍ରିମ୍ ଫ୍ଲାୱାରସ' ନାମରେ ସଂକଳିତ ହୋଇଥିଲା । ତାଙ୍କ ଉପରେ ଅନେକ ପୁସ୍ତକ, ଚଳଚ୍ଚିତ୍ର, ନାଟକ ଓ ପ୍ରାମାଣିକ ଚିତ୍ର ନିର୍ମାଣ କରାଯାଇଛି । ନୂର୍-ଉନ୍-ନିସା ଇନାୟତ୍ ଖାଁ ଓରଫ୍ ନୂର୍ ଇନାୟତ୍ ଖାଁ ଓରଫ୍ ନୋରା ବେକର୍ ଅଥବା କୋଡ଼୍ ନାଁ 'ମାଡେଲିନ'ଙ୍କ ବାଲ୍ୟକାଳରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା ବର୍ଣ୍ଣନା କରି ଭାରତୀୟ ସାମ୍ବାଦିକା ଓ ଐତିହାସିକା ଶ୍ରାବଣୀ ବସୁ ୨୦୦୬ରେ 'ସ୍ପାଏ ପ୍ରିନସେସ୍ : ଦି ଲାଇଫ୍ ଅଫ୍ ନୂର୍ ଇନାୟତ୍ ଖାଁ' ନାମରେ ପୁସ୍ତକଟିଏ ରଚନା କରିଛନ୍ତି ।[୩]
ସମ୍ମାନ
[ସମ୍ପାଦନା]- ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।[୬]
- ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Noorunissa Inayat-Khan". The Message of Hazrat Inayat Khan. 2016. Retrieved 5 June 2016.
- ↑ "Tomb of Hazrat Inayat Khan". Delhi Information. 2016. Retrieved 5 June 2016.
- ↑ "| SambadEpaper". sambadepaper.com. Retrieved 2024-10-01.
- ↑ "George Cross, George Medal and the Medal of the Order of the British Empire (military): Air Ministry recommendation to the Selection Committee and correspondence (Assistant Section Officer Nora Inayat-Khan, Women's Auxiliary Air Force)", T 351/47, National Archives, Kew.
- ↑ "Noor Inayat Khan" (in English). Spatracrooss Publication. Retrieved 1 April 2014.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Noor Inayat Khan: Life of a Spy Princess" (in English). BBC. Archived from the original on 14 January 2011.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link)